A A A A A
ଗୋଟିଏ ବର୍ଷରେ ବାଇବଲ |
ଏପ୍ରିଲ୍ ୧୦

ଯିହୋଶୂୟ ୯:୧-୨୭
୧. ଅନନ୍ତର ଯର୍ଦ୍ଦନ ଏପାରସ୍ଥ ସମୁଦାୟ ରାଜଗଣ, ଅର୍ଥାତ୍, ପର୍ବତ ଓ ତଳଭୂମି ନିବାସୀ ଓ ଲିବାନୋନ୍ ସମ୍ମୁଖସ୍ଥ ମହାସମୁଦ୍ରର ସମସ୍ତ ତୀର ନିବାସୀ ହିତ୍ତୀୟ ଓ ଇମୋରୀୟ ଓ କିଣାନୀୟ ଓ ପିରିଷୀୟ ଓ ହିବ୍ବୀୟ ଓ ଯିବୁଷୀୟ ରାଜଗଣୟ ଏହି କଥା ଶୁଣିଲେ;
୨. ତହିଁରେ ସେମାନେ ଏକ ମନରେ ଯିହୋଶୂୟ ଓ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଏକତ୍ର ହେଲେ ।
୩. ମାତ୍ର ଯିରୀହୋ ପ୍ରତି ଓ ଅୟ ପ୍ରତି ଯିହୋଶୂୟ ଯେ ଯେ କର୍ମ କରିଥିଲେ, ତାହା ଯେତେବେଳେ ଗିବିୟୋନ ନିବାସୀମାନେ ଶୁଣିଲେ,
୪. ସେତେବେଳେ ସେମାନେ ମଧ୍ୟ ସତର୍କ ହୋଇ କର୍ମ କଲେ, ସେମାନେ ଯାଇ ରାଜଦୂତ ବେଶ ଧରି ଆପଣା ଆପଣା ଗର୍ଦ୍ଦଭ ଉପରେ ପୁରୁଣା ଅଖା, ପୁଣି ପୁରୁଣା ଓ ଚିରା ଓ ଗଣ୍ଠିପଡ଼ା ଦ୍ରାକ୍ଷାରସ କୁମ୍ପା ନଦିଲେ;
୫. ଆଉ ସେମାନଙ୍କ ପାଦରେ ପୁରୁଣା ଓ ତାଳିପଡ଼ା ଜୋତା, ପୁଣି ଦେହରେ ପୁରୁଣା ଲୁଗା ଦେଲେ; ପୁଣି ସେମାନଙ୍କ ପାଥେୟ ରୋଟୀ ଶୁଖିଲା ଓ ଗମରା ହୋଇ ଯାଇଥିଲା ।
୬. ଏହିରୂପେ ସେମାନେ ଗିଲ୍ଗଲ୍ସ୍ଥିତ ଛାଉଣିକି ଯିହୋଶୂୟଙ୍କ ନିକଟକୁ ଯାଇ ତାଙ୍କୁ ଓ ଇସ୍ରାଏଲୀୟ ଲୋକମାନଙ୍କୁ କହିଲେ, ଆମ୍ଭେମାନେ ଦୂର ଦେଶରୁ ଆସିଲୁ, ଏଣୁ ତୁମ୍ଭେମାନେ ଏବେ ଆମ୍ଭମାନଙ୍କ ସହିତ ନିୟମ ସ୍ଥିର କର ।
୭. ତହିଁରେ ଇସ୍ରାଏଲୀୟ ଲୋକମାନେ ସେହି ହିବ୍ବୀୟ-ମାନଙ୍କୁ ଉତ୍ତର କଲେ, କେଜାଣି ତୁମ୍ଭେମାନେ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବ; ଆମ୍ଭେମାନେ କିପରି ତୁମ୍ଭମାନଙ୍କ ସହିତ ନିୟମ କରି ପାରିବୁ?
୮. ତହୁଁ ସେମାନେ ଯିହୋଶୂୟଙ୍କୁ କହିଲେ, ଆମ୍ଭେମାନେ ଆପଣଙ୍କର ଦାସ । ତେବେ ଯିହୋଶୂୟ ସେମାନଙ୍କୁ କହିଲେ, ତୁମ୍ଭେମାନେ କିଏ? ପୁଣି କେଉଁଠାରୁ ଆସିଅଛ?
୯. ସେମାନେ ତାଙ୍କୁ କହିଲେ, ସଦାପ୍ରଭୁ ଆପଣଙ୍କ ପରମେଶ୍ଵରଙ୍କ ନାମ ସକାଶୁ ଆପଣଙ୍କ ଦାସମାନେ ଅତି ଦୂର ଦେଶରୁ ଆସିଅଛନ୍ତି; କାରଣ ତାହାଙ୍କର କୀର୍ତ୍ତି ଓ ସେ ମିସରରେ ଯେସମସ୍ତ କର୍ମ କରିଅଛନ୍ତି,
୧୦. ପୁଣି ସେ ଯର୍ଦ୍ଦନ ସେପାରିସ୍ଥ ହିଷ୍ବୋନ୍-ରାଜା ସୀହୋନ ଓ ଅଷ୍ଟାରୋତ୍ ନିବାସୀ ବାଶନ-ରାଜା ଓଗ୍, ଇମୋରୀୟମାନଙ୍କ ଏହି ଦୁଇ ରାଜା ପ୍ରତି ଯେ ଯେ କର୍ମ କରିଅଛନ୍ତି, ତାହାସବୁ ଆମ୍ଭେମାନେ ଶୁଣିଅଛୁ ।
୧୧. ଏହେତୁ ଆମ୍ଭମାନଙ୍କ ପ୍ରାଚୀନବର୍ଗ ଓ ଦେଶ ନିବାସୀ ସମସ୍ତେ ଆମ୍ଭମାନଙ୍କୁ କହିଲେ, ତୁମ୍ଭେମାନେ ହସ୍ତରେ ପାଥେୟ ଦ୍ରବ୍ୟ ନେଇ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଯାଇ ସେମାନଙ୍କୁ ଏହି କଥା କୁହ, ଆମ୍ଭେମାନେ ଆପଣମାନଙ୍କ ଦାସ; ଏଣୁ ଆପଣମାନେ ଆମ୍ଭମାନଙ୍କ ସହିତ ନିୟମ ସ୍ଥିର କରନ୍ତୁ ।
୧୨. ଆମ୍ଭେମାନେ ଆପଣମାନଙ୍କ ନିକଟକୁ ଆସିବା ନିମନ୍ତେ ଯାତ୍ରା କରିବା ଦିନ ଗୃହରୁ ତତଲା ରୋଟୀ ଆଣିଥିଲୁ; ମାତ୍ର ଏବେ ଦେଖନ୍ତୁ, ତାହା ଶୁଖିଲା ଓ ଗମରା ହୋଇଯାଇଅଛି ।
୧୩. ପୁଣି ଏହି ଯେସବୁ ଦ୍ରାକ୍ଷାରସ-କୁମ୍ପା ଭର୍ତ୍ତି କରି ଆଣିଥିଲୁ, ତାହା ନୂଆ ଥିଲା, ମାତ୍ର ଦେଖନ୍ତୁ, ସବୁ ଆସି ଚିରି ଗଲାଣି; ଆଉ ଆମ୍ଭମାନଙ୍କ ଏହି ଲୁଗା ଓ ଜୋତା ଅତି ଦୂର ଯାତ୍ରା ସକାଶୁ ପୁରୁଣା ହୋଇଗଲାଣି ।
୧୪. ତହିଁରେ (ଇସ୍ରାଏଲ) ଲୋକମାନେ ସେମାନଙ୍କ ପାଥେୟ ଦ୍ରବ୍ୟ ଗ୍ରହଣ କଲେ, ଆଉ ସଦାପ୍ରଭୁଙ୍କ ମୁଖରୁ ପରାମର୍ଶ ଲୋଡ଼ିଲେ ନାହିଁ ।
୧୫. ପୁଣି ଯିହୋଶୂୟ ସେମାନଙ୍କ ସହିତ ସନ୍ଧି କଲେ ଓ ସେମାନଙ୍କୁ ଜୀବିତ ରଖିବାକୁ ନିୟମ କଲେ, ଆଉ ମଣ୍ତଳୀର ଅଧିପତିମାନେ ସେମାନଙ୍କ ନିକଟରେ ଶପଥ କଲେ ।
୧୬. ଏହିରୂପେ ସେମାନଙ୍କ ସହିତ ନିୟମ ସ୍ଥିର କରିବାର ତିନି ଦିନ ଗତ ହୁଅନ୍ତେ, ସେମାନେ ଶୁଣିଲେ ଯେ, ଏମାନେ ଆମ୍ଭମାନଙ୍କ ନିକଟସ୍ଥ ଲୋକ ଓ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଅଛନ୍ତି ।
୧୭. ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କରି ତୃତୀୟ ଦିବସରେ ସେମାନଙ୍କ ନଗରମାନଙ୍କରେ ଉପସ୍ଥିତ ହେଲେ । ଗିବିୟୋନ୍ ଓ କଫୀରା ଓ ବେରୋତ୍ ଓ କିରୀୟତ୍ ଯିଆରିମ୍ ସେମାନଙ୍କ ନଗର ଥିଲା ।
୧୮. ମାତ୍ର ମଣ୍ତଳୀର ଅଧିପତିଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ନାମରେ ସେମାନଙ୍କ ସହିତ ଶପଥ କରିଥିବାରୁ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କୁ ଆଘାତ କଲେ ନାହିଁ, ଏହେତୁ ସମସ୍ତ ମଣ୍ତଳୀ ଅଧିପତିମାନଙ୍କ ବିରୁଦ୍ଧରେ ବଚସା କରିବାକୁ ଲାଗିଲେ ।
୧୯. ତହିଁରେ ଅଧିପତିଗଣ ସମସ୍ତ ମଣ୍ତଳୀକି କହିଲେ, ଆମ୍ଭେମାନେ ସେମାନଙ୍କ ସହିତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ନାମରେ ଶପଥ କରିଅଛୁ, ଏହେତୁ ଏବେ ସେମାନଙ୍କୁ ସ୍ପର୍ଶ କରି ନ ପାରୁ ।
୨୦. ଆମ୍ଭେମାନେ ସେମାନଙ୍କ ପ୍ରତି ଏହା କରିବା, ସେମାନଙ୍କୁ ଜୀବନରେ ରଖିବା; ନୋହିଲେ ସେମାନଙ୍କ ସହିତ ଯେଉଁ ଶପଥ କରିଅଛୁ, ସେହି ଶପଥ ସକାଶୁ ଆମ୍ଭମାନଙ୍କ ପ୍ରତି କ୍ରୋଧ ଉପସ୍ଥିତ ହେବ ।
୨୧. ଏନିମନ୍ତେ ଅଧିପତିମାନେ ସେମାନଙ୍କୁ କହିଲେ, ଏମାନେ ଜୀବିତ ଥାଉନ୍ତୁ; ମାତ୍ର ଅଧିପତିଗଣର ବାକ୍ୟାନୁସାରେ ସେମାନେ ସମସ୍ତ ମଣ୍ତଳୀର କାଠକଟାଳୀ ଓ ଜଳକଢ଼ାଳୀ ହେବେ ।
୨୨. ଏଉତ୍ତାରେ ଯିହୋଶୂୟ ସେମାନଙ୍କୁ ଡକାଇ କହିଲେ, ‘ଆମ୍ଭେମାନେ ତୁମ୍ଭମାନଙ୍କଠାରୁ ଅତି ଦୂରସ୍ଥ ଲୋକʼ ଏହା କହି କିହେତୁ ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରବଞ୍ଚନା କଲ? ତୁମ୍ଭେମାନେ ତ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଅଛ ।
୨୩. ଏନିମନ୍ତେ ଏବେ ତୁମ୍ଭେମାନେ ଶାପଗ୍ରସ୍ତ ହେଲ; ଆମ୍ଭ ପରମେଶ୍ଵରଙ୍କ ଗୃହର କାଠକଟାଳୀ ଓ ଜଳକଢ଼ାଳୀ ହେବା ପାଇଁ ତୁମ୍ଭମାନଙ୍କ ମଧ୍ୟରୁ ବନ୍ଧାଦାସର ଅଭାବ ହେବ ନାହିଁ ।
୨୪. ଏଥିରେ ସେମାନେ ଯିହୋଶୂୟଙ୍କୁ ଉତ୍ତର କରି କହିଲେ, ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦେବାକୁ ଓ ତୁମ୍ଭମାନଙ୍କ ସମ୍ମୁଖରୁ ଏହି ଦେଶ ନିବାସୀ ସମସ୍ତ ଲୋକଙ୍କୁ ବିନାଶ କରିବାକୁ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଆପଣା ସେବକ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତାହା ନିଶ୍ଚିତ ରୂପେ ତୁମ୍ଭ ଦାସମାନଙ୍କୁ କୁହାଯାଇଅଛି; ଏହେତୁ ଆମ୍ଭେମାନେ ତୁମ୍ଭମାନଙ୍କ ସମ୍ମୁଖରେ ଆପଣା ଆପଣା ପ୍ରାଣ ବିଷୟରେ ଅତିଶୟ ଭୀତ ହୋଇ ଏହି କାର୍ଯ୍ୟ କରିଅଛୁ ।
୨୫. ଏବେ ଦେଖନ୍ତୁ, ଆମ୍ଭେମାନେ ଆପଣଙ୍କ ହସ୍ତରେ ଅଛୁ, ଆମ୍ଭମାନଙ୍କ ପ୍ରତି ଯାହା କରିବା ଆପଣଙ୍କ ଦୃଷ୍ଟିରେ ଉତ୍ତମ ଓ ନ୍ୟାୟ, ତାହା କରନ୍ତୁ ।
୨୬. ତହିଁରେ ସେ ସେମାନଙ୍କ ପ୍ରତି ତାହା ହିଁ କରି ଇସ୍ରାଏଲ-ସନ୍ତାନଗଣ ହସ୍ତରୁ ରକ୍ଷା କଲେ, ଏଣୁ ସେମାନେ ସେମାନଙ୍କୁ ବଧ କଲେ ନାହିଁ ।
୨୭. ଆଉ ଯିହୋଶୂୟ ସେମାନଙ୍କୁ ସେହି ଦିନରୁ ଆଜିଯାଏ, ସଦାପ୍ରଭୁଙ୍କ ମନୋନୀତ ସ୍ଥାନରେ ମଣ୍ତଳୀର ଓ ସଦାପ୍ରଭୁଙ୍କ ଯଜ୍ଞବେଦିର କାଠକଟାଳୀ ଓ ଜଳକଢ଼ାଳୀ କଲେ ।

ଯିହୋଶୂୟ ୧୦:୧-୪୩
୧. ଅନନ୍ତର ଯିହୋଶୂୟ ଅୟକୁ ହସ୍ତଗତ କରି ବର୍ଜିତ ରୂପେ ବିନାଶ କରିଅଛନ୍ତି, ପୁଣି ଯିରୀହୋ ଓ ତହିଁର ରାଜା ପ୍ରତି ଯେରୂପ କରିଥିଲେ, ସେରୂପ ଅୟ ଓ ତହିଁର ରାଜା ପ୍ରତି କରିଅଛନ୍ତି, ଆଉ ଗିବିୟୋନ ନିବାସୀମାନେ ଇସ୍ରାଏଲ ସହିତ ସନ୍ଧି କରି ସେମାନଙ୍କ ମଧ୍ୟବର୍ତ୍ତୀ ହୋଇଅଛନ୍ତି, ଏହିସବୁ କଥା ଯିରୂଶାଲମର ରାଜା ଅଦୋନିଷେଦକ ଶୁଣନ୍ତେ, ଲୋକମାନେ ଅତିଶୟ ଭୀତ ହେଲେ ।
୨. କାରଣ ଗିବିୟୋନ ଏକ ରାଜଧାନୀ ତୁଲ୍ୟ ବୃହତ ନଗର ଓ ଅୟ ଅପେକ୍ଷା ବଡ଼ ଥିଲା, ପୁଣି ତହିଁର ଲୋକମାନେ ବୀର ଥିଲେ ।
୩. ଏଣୁ ଯିରୂଶାଲମର ରାଜା ଅଦୋନିଷେଦକ ହିବ୍ରୋଣର ହୋହମ୍ ରାଜାର ଓ ଯର୍ମୂତର କିରାମ୍ ରାଜାର ଓ ଲାଖୀଶ୍ର ଯାଫୀୟ ରାଜାର ଓ ଇଗ୍ଲୋନର ଦବୀର ରାଜାର ନିକଟକୁ କହି ପଠାଇଲା,
୪. ମୋʼ ନିକଟକୁ ଆସି ମୋର ସାହାଯ୍ୟ କର, ଆସ, ଆମ୍ଭେମାନେ ଗିବିୟୋନୀୟ ଲୋକମାନଙ୍କୁ ଆଘାତ କରୁ; କାରଣ ସେମାନେ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ସହିତ ସନ୍ଧି କରିଅଛନ୍ତି ।
୫. ଏନିମନ୍ତେ ଯିରୂଶାଲମର ରାଜା, ହିବ୍ରୋଣର ରାଜା, ଯର୍ମୂତର ରାଜା, ଲାଖୀଶର ରାଜା ଓ ଇଗ୍ଲୋନର ରାଜା, ଇମୋରୀୟମାନଙ୍କ ଏହି ପାଞ୍ଚ ରାଜା ଆପଣା ଆପଣା ସମସ୍ତ ସୈନ୍ୟ ସହିତ ଏକତ୍ର ଉଠି ଯାଇ ଗିବିୟୋନ ସମ୍ମୁଖରେ ଛାଉଣି ସ୍ଥାପନ କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ ।
୬. ଏଥିରେ ଗିବିୟୋନୀୟ ଲୋକମାନେ ଗିଲ୍ଗଲ୍ସ୍ଥିତ ଛାଉଣିକି ଯିହୋଶୂୟଙ୍କ ନିକଟକୁ କହି ପଠାଇଲେ, ତୁମ୍ଭେ ଆପଣାର ଏହି ଦାସ-ମାନଙ୍କଠାରୁ ଆପଣା ହାତ କାଢ଼ି ନ ନିଅ; ଶୀଘ୍ର ଆମ୍ଭମାନଙ୍କ ନିକଟକୁ ଆସ, ଆମ୍ଭମାନଙ୍କୁ ଉଦ୍ଧାର କର ଓ ଆମ୍ଭମାନଙ୍କର ଉପକାର କର; କାରଣ ପର୍ବତ ନିବାସୀ ଇମୋରୀୟ-ମାନଙ୍କ ସମସ୍ତ ରାଜା ଆମ୍ଭମାନଙ୍କ ବିରୁଦ୍ଧରେ ଏକତ୍ର ହୋଇଅଛନ୍ତି ।
୭. ତହିଁରେ ଯିହୋଶୂୟ ଓ ତାଙ୍କ ସହିତ ସମସ୍ତ ଯୋଦ୍ଧା ଓ ମହାବିକ୍ରମଶାଳୀ ସମସ୍ତ ଲୋକ ଗିଲ୍ଗଲ୍ରୁ ଯାତ୍ରା କଲେ ।
୮. ଏଥିରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ସେମାନଙ୍କୁ ଭୟ ନ କର; କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲୁ; ସେମାନଙ୍କ ମଧ୍ୟରୁ ଜଣେ ହେଲେ ତୁମ୍ଭ ସମ୍ମୁଖରେ ଛିଡ଼ା ହୋଇ ପାରିବ ନାହିଁ ⇧।
୯. ତହୁଁ ଯିହୋଶୂୟ ଅକସ୍ମାତ୍ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ; କାରଣ ସେ ଗିଲ୍ଗଲ୍ଠାରୁ ରାତ୍ରିଯାକ ଚାଲିଥିଲେ ।
୧୦. ସେତେବେଳେ ସଦାପ୍ରଭୁ ଇସ୍ରାଏଲ ସାକ୍ଷାତରେ ସେମାନଙ୍କୁ ଉଦ୍ବିଗ୍ନ କଲେ ଓ ସେ ଗିବିୟୋନ୍ରେ ସେମାନଙ୍କୁ ମହାସଂହାରରେ ସଂହାର କଲେ, ପୁଣି ବୈଥୋରୋଣର ଘାଟୀ ପଥ ଦେଇ ସେମାନଙ୍କୁ ଘଉଡ଼ାଇ ଦେଲେ, ଆଉ ଅସେକା ଓ ମକ୍କେଦା ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ ।
୧୧. ଏଥିରେ ସେମାନେ ଇସ୍ରାଏଲ ସମ୍ମୁଖରୁ ପଳାଉ ପଳାଉ ଯେତେବେଳେ ବୈଥୋରୋଣର ଗଡ଼ାଣି ପଥରେ ଉପସ୍ଥିତ ହେଲେ, ସେତେବେଳେ ସଦାପ୍ରଭୁ ଅସେକା ପର୍ଯ୍ୟନ୍ତ ସେମାନଙ୍କ ଉପରେ ଆକାଶରୁ ବଡ଼ ବଡ଼ ଶିଳାବୃଷ୍ଟି କଲେ, ତହିଁରେ ସେମାନେ ମଲେ; ଇସ୍ରାଏଲ ସନ୍ତାନମାନେ ଖଡ଼୍‍ଗରେ ଯେତେ ଲୋକ ବଧ କରିଥିଲେ, ତତୋଧିକ ଲୋକ ଶିଳାବୃଷ୍ଟିରେ ମଲେ ।
୧୨. ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ଇମୋରୀୟମାନଙ୍କୁ ସମର୍ପଣ କରିବା ଦିନ ଯିହୋଶୂୟ ସଦାପ୍ରଭୁଙ୍କୁ କହିଲେ; ପୁଣି ସେ ଇସ୍ରାଏଲଙ୍କ ସାକ୍ଷାତରେ କହିଲେ, ସୂର୍ଯ୍ୟ, ଗିବିୟୋନ୍ ଉପରେ ତୁମ୍ଭେ ସ୍ତବ୍ଧ ହୁଅ; ଆଉ ଚନ୍ଦ୍ର, ତୁମ୍ଭେ ଅୟାଲୋନ୍ର ତଳ ଭୂମିରେ (ସ୍ତବ୍ଧ ହୁଅ) ।
୧୩. ତହିଁରେ ଲୋକମାନେ ଆପଣା ଶତ୍ରୁମାନଙ୍କଠାରୁ ପରିଶୋଧ ନେବା ପର୍ଯ୍ୟନ୍ତ ସୂର୍ଯ୍ୟ ସ୍ତବ୍ଧ ହେଲା ଓ ଚନ୍ଦ୍ର ସ୍ଥଗିତ ହେଲା । ଏହା କି ଯାଶେର୍ ପୁସ୍ତକରେ ଲେଖା ନାହିଁ? ଆଉ ସୂର୍ଯ୍ୟ ଆକାଶର ମଧ୍ୟସ୍ଥାନରେ ସ୍ଥଗିତ ରହିଲା ଓ ପ୍ରାୟ ସମ୍ପୂର୍ଣ୍ଣ ଏକ ଦିନ ଅସ୍ତ ଯିବାକୁ ଚଞ୍ଚଳ ହେଲା ନାହିଁ ।
୧୪. ଯେଉଁ ଦିନ ସଦାପ୍ରଭୁ ମନୁଷ୍ୟର ରବ ଏରୂପ ଶୁଣିଲେ, ଏଥିପୂର୍ବେ ବା ଏଉତ୍ତାରେ ଏପରି ଦିନ ଆଉ ହୋଇ ନାହିଁ; କାରଣ ସଦାପ୍ରଭୁ ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ ।
୧୫. ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସହିତ ସମୁଦାୟ ଇସ୍ରାଏଲ ଗିଲ୍ଗଲ୍-ଛାଉଣିକି ନେଉଟି ଆସିଲେ ।
୧୬. ଏଥିମଧ୍ୟରେ ସେହି ପାଞ୍ଚ ରାଜା ପଳାଇ ମକ୍କେଦା ଗୁମ୍ପାରେ ଆପଣାମାନଙ୍କୁ ଲୁଚାଇଲେ ।
୧୭. ତହୁଁ ସେହି ପାଞ୍ଚ ରାଜା ମକ୍କେଦା ଗୁମ୍ପାରେ ଲୁଚି ରହିଅଛନ୍ତି, ଏ କଥା ଯିହୋଶୂୟଙ୍କୁ କୁହାଯାʼନ୍ତେ,
୧୮. ଯିହୋଶୂୟ କହିଲେ, ବଡ଼ ବଡ଼ ପଥର ଗୁମ୍ପା ମୁହଁକୁ ଗଡ଼ାଇଦିଅ ଓ ସେମାନଙ୍କୁ ରକ୍ଷା କରିବା ପାଇଁ ଲୋକ ନିଯୁକ୍ତ କର ।
୧୯. ମାତ୍ର ତୁମ୍ଭେମାନେ ସ୍ଥଗିତ ହୋଇ ରୁହ ନାହିଁ; ଆପଣା ଶତ୍ରୁମାନଙ୍କ ପଛେ ପଛେ ଗୋଡ଼ାଅ, ସେମାନଙ୍କ ପଛରେ ଥିବା ଲୋକମାନଙ୍କୁ ଉଚ୍ଛିନ୍ନ କର; ସେମାନଙ୍କୁ ତାଙ୍କ ନଗର ଭିତରକୁ ଯିବାକୁ ଦିଅ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି ।
୨୦. ଏଥିରେ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କ ସର୍ବନାଶ ପର୍ଯ୍ୟନ୍ତ ଓ ସେମାନଙ୍କ ଅବଶିଷ୍ଟ ଲୋକମାନେ କୌଣସି କୌଣସି ପ୍ରାଚୀରବେଷ୍ଟିତ ନଗରକୁ ପଳାଇବା ପର୍ଯ୍ୟନ୍ତ ସେମାନଙ୍କୁ ମହାସଂହାରରେ ସଂହାର କଲେ ।
୨୧. ତହୁଁ ସମସ୍ତ ଲୋକ ମକ୍କେଦା ଛାଉଣିକି ଯିହୋଶୂୟଙ୍କ ନିକଟକୁ କୁଶଳରେ ଫେରି ଆସିଲେ; ଇସ୍ରାଏଲ-ସନ୍ତାନଗଣର କାହାରି ପ୍ରତିକୂଳରେ କେହି ଜିହ୍ଵା ପଜାଇଲେ ନାହିଁ ।
୨୨. ଅନନ୍ତର ଯିହୋଶୂୟ କହିଲେ, ସେହି ଗୁମ୍ପା ମୁହଁ ମୁକୁଳା କରି ଗୁମ୍ପାରୁ ସେହି ପାଞ୍ଚ ରାଜାଙ୍କୁ ବାହାର କରି ମୋହର ନିକଟକୁ ଆଣ ।
୨୩. ତହିଁରେ ସେମାନେ ସେପରି କଲେ, ପୁଣି ଯିରୂଶାଲମର ରାଜାକୁ, ହିବ୍ରୋଣର ରାଜାକୁ, ଯର୍ମୂତର ରାଜାକୁ, ଲାଖୀଶ୍ର ରାଜାକୁ, ଇଗ୍ଲୋନ୍ର ରାଜାକୁ, ଏହି ପାଞ୍ଚ ରାଜାଙ୍କୁ ସେହି ଗୁମ୍ପାରୁ ବାହାର କରି ତାଙ୍କ ନିକଟକୁ ଆଣିଲେ ।
୨୪. ଏହିରୂପେ ସେମାନେ ସେହି ରାଜାମାନଙ୍କୁ ଯିହୋଶୂୟଙ୍କ ନିକଟକୁ ଆଣିଲା ଉତ୍ତାରେ ଯିହୋଶୂୟ ଇସ୍ରାଏଲର ସମସ୍ତ ପୁରୁଷଙ୍କୁ ଡାକି ତାଙ୍କ ସଙ୍ଗେ ଯାଇଥିବା ସେନାପତିମାନଙ୍କୁ କହିଲେ, ନିକଟକୁ ଆସି ଏହି ରାଜାମାନଙ୍କ ବେକରେ ପାଦ ଦିଅ । ତହିଁରେ ସେମାନେ ନିକଟକୁ ଆସି ସେମାନଙ୍କ ବେକରେ ପାଦ ଦେଲେ ।
୨୫. ପୁଣି ଯିହୋଶୂୟ ସେମାନଙ୍କୁ କହିଲେ, ଭୟ ନ କର, ଅବା ନିରାଶ ନ ହୁଅ; ବଳବାନ ଓ ସାହସିକ ହୁଅ; କାରଣ ତୁମ୍ଭେମାନେ ଯେଉଁମାନଙ୍କ ସଙ୍ଗେ ଯୁଦ୍ଧ କରିବ, ତୁମ୍ଭମାନଙ୍କର ସେହି ସମସ୍ତ ଶତ୍ରୁଙ୍କୁ ସଦାପ୍ରଭୁ ଏହି ପ୍ରକାର କରିବେ ।
୨୬. ଏଉତ୍ତାରେ ଯିହୋଶୂୟ ଆଘାତ ଦ୍ଵାରା ସେମାନଙ୍କୁ ବଧ କରି ପାଞ୍ଚ ବୃକ୍ଷରେ ଟଙ୍ଗାଇଲେ; ଆଉ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି ବୃକ୍ଷମାନଙ୍କରେ ଟଙ୍ଗା ହୋଇ ରହିଲେ ।
୨୭. ପୁଣି ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦିଅନ୍ତେ, ଲୋକମାନେ ସେହି ବୃକ୍ଷମାନଙ୍କରୁ ସେମାନଙ୍କୁ ତଳକୁ ନେଲେ ଓ ଯେଉଁ ଗୁମ୍ପାରେ ସେମାନେ ଆପଣାମାନଙ୍କୁ ଲୁଚାଇଥିଲେ, ତହିଁ ଭିତରେ ପକାଇ ଦେଲେ ଓ ସେହି ଗୁମ୍ପା ମୁହଁରେ ବଡ଼ ବଡ଼ ପଥର ଥୋଇଲେ; ତାହା ଆଜିଯାଏ ଅଛି ।
୨୮. ଅନନ୍ତର ଯିହୋଶୂୟ ସେହି ଦିନ ମକ୍କେଦା ହସ୍ତଗତ କରି ଖଡ଼୍‍ଗଧାରରେ ନଗରକୁ ଓ ତହିଁର ରାଜାକୁ ଆଘାତ କଲେ; ସେ ସେମାନଙ୍କୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ବର୍ଜିତ ରୂପେ ବିନାଶ କଲେ; କାହାକୁ ଅବଶିଷ୍ଟ ରଖିଲେ ନାହିଁ; ପୁଣି ସେ ଯେପରି ଯିରୀହୋ ରାଜା ପ୍ରତି କରିଥିଲେ, ସେପରି ମକ୍କେଦା ରାଜା ପ୍ରତି କଲେ ।
୨୯. ଅନନ୍ତର ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ମକ୍କେଦାରୁ ଲିବ୍ନାକୁ ଗଲେ ଓ ଲିବ୍ନା ପ୍ରତିକୂଳରେ ଯୁଦ୍ଧ କଲେ;
୩୦. ତହିଁରେ ସଦାପ୍ରଭୁ ତାହାକୁ, ମଧ୍ୟ ତହିଁର ରାଜାକୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେ; ତେଣୁ ସେ ତାହା ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀକୁ ଖଡ଼୍‍ଗଧାରରେ ଆଘାତ କଲେ, ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ସେ ଯେପରି ଯିରୀହୋ ରାଜା ପ୍ରତି କରିଥିଲେ, ସେପରି ତହିଁର ରାଜା ପ୍ରତି କଲେ ।
୩୧. ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଲିବ୍ନାରୁ ଲାଖୀଶ୍କୁ ଯାଇ ତହିଁ ନିକଟରେ ଛାଉଣି କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ ।
୩୨. ତହିଁରେ ସଦାପ୍ରଭୁ ଲାଖୀଶ୍କୁ ଇସ୍ରାଏଲର ହସ୍ତଗତ କରନ୍ତେ, ସେମାନେ ଦ୍ଵିତୀୟ ଦିନ ଲାଖୀଶ୍ ଆକ୍ରମଣ କରି ଯେପରି ଲିବ୍ନା ପ୍ରତି କରିଥିଲେ, ସେହିପରି ତାହାକୁ ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀଙ୍କୁ ଖଡ଼୍‍ଗଧାରରେ ଆଘାତ କଲେ ।
୩୩. ସେ ସମୟରେ ଗେଷର୍ର ରାଜା ହୋରମ୍ ଲାଖୀଶ୍ର ସହାୟତା କରିବାକୁ ଆସିଥିଲା; ତେଣୁ ଯିହୋଶୂୟ ତାହାର କାହାକୁ ଅବଶିଷ୍ଟ ନ ରଖିବା ଯାଏ ତାହାକୁ ଓ ତାହାର ଲୋକମାନଙ୍କୁ ଆଘାତ କଲେ ।
୩୪. ତହୁଁ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଲାଖୀଶ୍ରୁ ଇଗ୍ଲୋନ୍କୁ ଗଲେ ଓ ସେମାନେ ତହିଁ ନିକଟରେ ଛାଉଣି କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ ।
୩୫. ପୁଣି ସେହି ଦିନ ସେମାନେ ତାହା ହସ୍ତଗତ କରି ତାକୁ ଖଡ଼୍‍ଗଧାରରେ ଆଘାତ କଲେ ଓ ସେ ଯେପରି ଲାଖୀଶ୍ ପ୍ରତି କରିଥିଲେ, ସେପରି ତହିଁ ମଧ୍ୟସ୍ଥ ସମସ୍ତ ପ୍ରାଣୀଙ୍କୁ ସେହି ଦିନ ବର୍ଜିତ ରୂପେ ବିନାଶ କଲେ ।
୩୬. ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଇଗ୍ଲୋନ୍ରୁ ହିବ୍ରୋଣକୁ ଗଲେ ଓ ସେମାନେ ତହିଁ ପ୍ରତିକୂଳରେ ଯୁଦ୍ଧ କଲେ;
୩୭. ପୁଣି ସେମାନେ ତାହା ହସ୍ତଗତ କରି ତାହାକୁ ଓ ତହିଁର ରାଜାକୁ, ଆଉ ତହିଁର ସମସ୍ତ ନଗର ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ଖଡ଼୍‍ଗଧାରରେ ଆଘାତ କଲେ; ଯେପରି ସେ ଇଗ୍ଲୋନ୍ ପ୍ରତି କରିଥିଲେ, ତଦନୁସାରେ ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ମାତ୍ର ସେ ତାହାକୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ବର୍ଜିତ ରୂପେ ବିନାଶ କଲେ ।
୩୮. ଅନନ୍ତର ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଦବୀରକୁ ଫେରିଲେ ଓ ତହିଁ ପ୍ରତିକୂଳରେ ଯୁଦ୍ଧ କଲେ ।
୩୯. ପୁଣି, ସେ ତାହା ଓ ତହିଁର ରାଜା ଓ ତହିଁର ନଗରସବୁ ହସ୍ତଗତ କଲେ; ଆଉ ସେମାନେ ଖଡ଼୍‍ଗଧାରରେ ସେମାନଙ୍କୁ ଆଘାତ କରି ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ବର୍ଜିତ ରୂପେ ବିନାଶ କଲେ, ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ଯେପରି ସେ ହିବ୍ରୋଣ ପ୍ରତି, ମଧ୍ୟ ଲିବ୍ନା ଓ ତହିଁର ରାଜା ପ୍ରତି କରିଥିଲେ, ସେପରି ସେ ଦବୀର ଓ ତହିଁର ରାଜା ପ୍ରତି କଲେ ।
୪୦. ଏହିରୂପେ ଯିହୋଶୂୟ ପର୍ବତମୟ ଦେଶ ଓ ଦକ୍ଷିଣ ପ୍ରଦେଶ ଓ ତଳଭୂମି ଓ ଅଧିତ୍ୟକାଦି ସମସ୍ତ ଦେଶ ଓ ତହିଁର ସମସ୍ତ ରାଜାଙ୍କୁ ପରାସ୍ତ କରି ବଧ କଲେ; ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ମାତ୍ର ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ଆଜ୍ଞାନୁସାରେ ନିଃଶ୍ଵାସ-ପ୍ରଶ୍ଵାସଧାରୀ ସମସ୍ତଙ୍କୁ ବର୍ଜିତ ରୂପେ ବିନାଶ କଲେ ।
୪୧. ପୁଣି ଯିହୋଶୂୟ କାଦେଶ-ବର୍ଣ୍ଣେୟଠାରୁ ଘସା ପର୍ଯ୍ୟନ୍ତ ସେମାନଙ୍କୁ ଓ ଗିବିୟୋନ୍ ପର୍ଯ୍ୟନ୍ତ ଗୋଶନର ସମସ୍ତ ଦେଶ ପରାସ୍ତ କଲେ ।
୪୨. ପୁଣି ଯିହୋଶୂୟ ଏହି ସମସ୍ତ ଦେଶ ଓ ରାଜଗଣକୁ ଏକାବେଳେ ହସ୍ତଗତ କଲେ; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ ।
୪୩. ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଗିଲ୍ଗଲ୍ ଛାଉଣିକି ଫେରି ଆସିଲେ ।

ଗୀତସଂହିତା ୪୪:୧-୩
୧. ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ । ମସ୍କୀଲ୍ । ହେ ପରମେଶ୍ଵର, ତୁମ୍ଭେ ପୂର୍ବକାଳରେ ଆମ୍ଭମାନଙ୍କ ପିତୃପୁରୁଷଙ୍କ ସମୟରେ ଯେଉଁ କର୍ମ କରିଥିଲ, ତାହା ଆମ୍ଭେମାନେ ସ୍ଵକର୍ଣ୍ଣରେ ଶୁଣିଅଛୁ ଓ ସେମାନେ ତାହା ଆମ୍ଭମାନଙ୍କୁ ଜଣାଇଅଛନ୍ତି ।
୨. ତୁମ୍ଭେ ଅନ୍ୟ ଗୋଷ୍ଠୀୟମାନଙ୍କୁ ସ୍ଵହସ୍ତରେ ତଡ଼ି ଦେଇ ସେମାନଙ୍କୁ ରୋପଣ କରିଥିଲ; ତୁମ୍ଭେ ଜନବୃନ୍ଦକୁ ନାଶ କରି ସେମାନଙ୍କୁ ବିସ୍ତାରିତ କରିଥିଲ ।
୩. କାରଣ ସେମାନେ ନିଜ ଖଡ଼୍‍ଗ ଦ୍ଵାରା ଦେଶାଧିକାର ପ୍ରାପ୍ତ ହେଲେ ନାହିଁ, କିଅବା ସେମାନଙ୍କ ନିଜ ବାହୁ ସେମାନଙ୍କୁ ଉଦ୍ଧାର କଲା ନାହିଁ; ମାତ୍ର ସେମାନଙ୍କ ପ୍ରତି ତୁମ୍ଭର ଅନୁଗ୍ରହ ଥିବାରୁ ତୁମ୍ଭର ଦକ୍ଷିଣ ହସ୍ତ ଓ ତୁମ୍ଭର ବାହୁ ଓ ତୁମ୍ଭ ମୁଖର ପ୍ରସନ୍ନତା ତାହା କରିଥିଲା ।

ହିତୋପଦେଶ ୧୩:୨୪-୨୫
୨୪. ଯେ ବାଡ଼ି ବ୍ୟବହାର କରିବାକୁ ତ୍ରୁଟି କରେ, ସେ ଆପଣା ପୁତ୍ରକୁ ଘୃଣା କରେ; ପୁଣି ଯେ ତାହାକୁ ପ୍ରେମ କରେ, ସେ ଯଥାକାଳରେ ଶାସ୍ତି ଦିଏ ।
୨୫. ଧାର୍ମିକ ଆପଣା ପ୍ରାଣର ତୃପ୍ତି ପର୍ଯ୍ୟନ୍ତ ଖାଏ, ମାତ୍ର ପାପୀର ଉଦର ଅତୃପ୍ତ ଥାଏ ।

ଲୂକ ୧୦:୧-୨୪
୧. ଏଥିଉତ୍ତାରେ ପ୍ରଭୁ ଆଉ ସତୁରି ଜଣଙ୍କୁ ନିଯୁକ୍ତ କଲେ ଓ ନିଜେ ଯେଉଁ ଯେଉଁ ନଗର ଓ ସ୍ଥାନକୁ ଯିବା ପାଇଁ ଉଦ୍ୟତ ଥିଲେ, ସେହି ସେହି ସ୍ଥାନକୁ ଦୁଇ ଦୁଇ ଜଣ କରି ସେମାନଙ୍କୁ ଆପଣା ଆଗେ ପ୍ରେରଣ କଲେ ।
୨. ପୁଣି, ସେ ସେମାନଙ୍କୁ କହିଲେ, ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ; ଏଣୁ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର କର୍ତ୍ତାଙ୍କ ନିକଟରେ ନିବେଦନ କର ।
୩. ତୁମ୍ଭେମାନେ ଯାଅ; ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାଛୁଆମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି ।
୪. ଥଳି, ଝୋଲି ଓ ଯୋତା ନିଅ ନାହିଁ, ପୁଣି ବାଟରେ କାହାକୁ ନମସ୍କାର କର ନାହିଁ ।
୫. ଆଉ, ଯେକୌଣସି ଗୃହରେ ତୁମ୍ଭେମାନେ ପ୍ରବେଶ କରିବ, ପ୍ରଥମେ କୁହ, ଏହି ଗୃହ ପ୍ରତି ଶାନ୍ତି ହେଉ ।
୬. ଆଉ, ସେସ୍ଥାନରେ ଯଦି ଜଣେ ଶାନ୍ତିର ପାତ୍ର ଥାଏ, ତାହାହେଲେ ତୁମ୍ଭମାନଙ୍କର ଶାନ୍ତି ତାହାରି ଉପରେ ଅଧିଷ୍ଠାନ କରିବ; କିନ୍ତୁ ଯଦି ନ ଥାଏ, ତେବେ ତାହା ତୁମ୍ଭମାନଙ୍କ ନିକଟକୁ ବାହୁଡ଼ି ଆସିବ ।
୭. ପୁଣି, ସେମାନଙ୍କ ପାଖରେ ଯାହା ଥାଏ, ତାହା ଭୋଜନପାନ କରି ସେହି ଗୃହରେ ରୁହ, କାରଣ କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ । ଘରକୁ ଘର ଯାଅ ନାହିଁ ।
୮. ପୁଣି, ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି, ସେଠାରେ ତୁମ୍ଭମାନଙ୍କୁ ଯାହା ପରିବେଷଣ କରାଯାଏ, ତାହା ଭୋଜନ କର,
୯. ସେସ୍ଥାନରେ ଥିବା ପୀଡ଼ିତମାନଙ୍କୁ ସୁସ୍ଥ କର, ଆଉ ସେମାନଙ୍କୁ କୁହ, ଈଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କ ସନ୍ନିକଟ ।
୧୦. କିନ୍ତୁ ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣକରନ୍ତି ନାହିଁ, ସେଥିର ଦାଣ୍ତମାନଙ୍କୁ ବାହାରିଯାଇ କୁହ,
୧୧. ତୁମ୍ଭମାନଙ୍କ ନଗରର ଯେଉଁ ଧୂଳି ଆମ୍ଭମାନଙ୍କ ପାଦରେ ଲାଗିଅଛି, ତାହା ସୁଦ୍ଧା ତୁମ୍ଭମାନଙ୍କ ପାଇଁ ଝାଡ଼ି ଦେଉଅଛୁ; ତଥାପି ଈଶ୍ଵରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣିଥାଅ ।
୧୨. ମୁଁ ତୁମ୍ଭମାନଙ୍କୁ କହୁଅଛି, ସେଦିନରେ ସେହି ନଗରର ଦଶା ଅପେକ୍ଷା ସଦୋମର ଦଶା ସହନୀୟ ହେବ ।
୧୩. ହାୟ, ଦଣ୍ତର ପାତ୍ର କୋରାଜୀନ୍, ହାୟ, ଦଣ୍ତର ପାତ୍ର ବେଥ୍ସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ଶକ୍ତିର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସୀଦୋନରେ କରାଯାଇଥାଆନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ ପରିବର୍ତ୍ତନ କରିଥାଆନ୍ତେ ।
୧୪. ତଥାପି ବିଚାରରେ ତୁମ୍ଭମାନଙ୍କ ଦଶା ଅପେକ୍ଷା ସୋର ଓ ସୀଦୋନର ଦଶା ସହନୀୟ ହେବ ।
୧୫. ଆଉ, ରେ କଫର୍ନାହୂମ, ତୁ କଅଣ ସ୍ଵର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋହର ଅଧୋଗତି ହେବ?।
୧୬. ଯେ ତୁମ୍ଭମାନଙ୍କର କଥା ଶୁଣେ, ସେ ମୋʼ କଥା ଶୁଣେ, ପୁଣି ଯେ ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ, ଆଉ ଯେ ମୋତେ ଅଗ୍ରାହ୍ୟ କରେ, ସେ ମୋʼ ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ ।
୧୭. ଏଥିଉତ୍ତାରେ ସେହି ସତୁରି ଜଣ ବାହୁଡ଼ିଆସି ଆନନ୍ଦରେ କହିଲେ, ପ୍ରଭୋ, ଭୂତମାନେ ସୁଦ୍ଧା ଆପଣଙ୍କ ନାମରେ ଆମ୍ଭମାନଙ୍କ ବଶୀଭୂତ ଅଟନ୍ତି ।
୧୮. କିନ୍ତୁ ସେ ସେମାନଙ୍କୁ କହିଲେ, ବିଜୁଳି ପରି ସ୍ଵର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି ।
୧୯. ଦେଖ, ମୁଁ ତୁମ୍ଭମାନଙ୍କୁ ସାପ ଓ ବିଛା ଉପରେ ଚାଲିବାକୁ କ୍ଷମତା ଦେଇଅଛି, ପୁଣି ଶତ୍ରୁର ସମସ୍ତ ଶକ୍ତି ଉପରେ ମଧ୍ୟ କ୍ଷମତା ଦେଇଅଛି, ଆଉ କିଛି ହିଁ କୌଣସି ପ୍ରକାରେ ତୁମ୍ଭମାନଙ୍କର କ୍ଷତି କରିବ ନାହିଁ ।
୨୦. ତଥାପି ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୂତ ଅଟନ୍ତି, ଏଥିରେ ଆନନ୍ଦ କର ନାହିଁ, କିନ୍ତୁ ତୁମ୍ଭମାନଙ୍କ ନାମ ଯେ ସ୍ଵର୍ଗରେ ଲେଖା ଅଛି, ଏଥିରେ ଆନନ୍ଦ କର ।
୨୧. ସେହି ଦଣ୍ତରେ ସେ ପବିତ୍ର ଆତ୍ମାଙ୍କଠାରେ ଉଲ୍ଲସିତ ହୋଇ କହିଲେ, ପିତଃ, ସ୍ଵର୍ଗ ଓ ପୃଥିବୀର ପ୍ରଭୋ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହିସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏନିମନ୍ତେ ତୁମ୍ଭର ସ୍ତୁତିବାଦ କରୁଅଛି; ହଁ, ପିତଃ, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା ।
୨୨. ମୋର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋʼଠାରେ ସମର୍ପିତ ହୋଇଅଛି; ଆଉ, ପୁତ୍ର କିଏ, ଏହା ପିତାଙ୍କ ବିନା କେହି ଜାଣେ ନାହିଁ, ପୁଣି ପିତା କିଏ, ଏହା ପୁତ୍ରଙ୍କ ବିନା କେହି ଜାଣେ ନାହିଁ, ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ ।
୨୩. ପୁଣି, ସେ ଶିଷ୍ୟମାନଙ୍କ ପ୍ରତି ବୁଲିପଡ଼ି କେବଳ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହିସବୁ ଯେଉଁ ଚକ୍ଷୁ ଦେଖେ, ତାହା ଧନ୍ୟ ।
୨୪. କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହିସବୁ ଅନେକ ଭାବବାଦୀ ଓ ରାଜା ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ; ପୁଣି, ତୁମ୍ଭେମାନେ ଯାହା ଯାହା ଶୁଣୁଅଛ, ସେହିସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ ।